ମୁଣ୍ଡରେ ହାତ ଦେଇ ବସିଛନ୍ତି କ୍ଷୁଦ୍ର ବ୍ୟବସାୟୀ

0
32

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): କରୋନାର ପ୍ରକୋପ ଯେତିକି ବଢୁଛି ଲୋକଙ୍କ ମନରେ ସେତିକି ଭୟ ସଞ୍ଚାରୁଛି |ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢୁଥିବା ବେଳେ ସପ୍ତାହାନ୍ତ ଦୁଇଦିନ ସଟଡାଉନ ପାଇଁ ସରକାରୀସ୍ତରରେ ଘୋଷଣା ହୋଇଛି |ଘୋଷଣା ପରେ କ୍ଷୁଦ୍ର ବ୍ୟବସାୟୀ ମୁଣ୍ଡରେ ଚଡକ ପଡିଛି |ଜୀବନଜୀବିକା ଭୟରେ ମୁଣ୍ଡରେ ହାତ ଦେଇ ବସିଛି କ୍ଷୁଦ୍ର ବେପାରୀ |ଗତବର୍ଷ କରୋନାର ପ୍ରଥମ ଲହରୀରେ ହୋଇଥିବା ଲକଡାଉନ ସଟଡାଉନ ରେ ବେପାର ସମ୍ପୂର୍ଣ ବନ୍ଦ ଥିଲା |ଯାହାଦ୍ୱାରା ବେପାରୀ ମାନେ ସମ୍ପୂର୍ଣ ଭାଙ୍ଗି ପଡ଼ିବା ସହ ଆର୍ଥିକ ଅନଟନ ର ଶିକାର ହୋଇଥିଲେ |ଏକବର୍ଷ କାଳ ବ୍ୟବସାୟ ଠପ ହୋଇଯାଇଥିବାରୁ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିଲା |ସମ୍ପ୍ରତି ପୁଣି କରୋନାର ଦ୍ଵିତୀୟ ଲହର ସପ୍ତାହାନ୍ତ ଲକଡାଉନ କୁ ଆମନ୍ତ୍ରଣ କରିଛି |ଯାହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ପେଟପାଟଣା ଚିନ୍ତାରେ ଖରା ବର୍ଷା ସହି ସ୍ୱଳ୍ପ କିଛି ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପାଇଁ କରୋନା ଯେଭଳି କାଳ ସାଜିଛି |ଅନ୍ୟପଟେ ଜୀବନ ଆଗ ବ୍ୟବସାୟ ପଛ ବୋଲି କିଛି ବ୍ୟବସାୟୀ ମାନିବାକୁ ବାଧ୍ୟ ହୋଇଛନ୍ତି |ବ୍ରହ୍ମପୁର ସହରରେ ରହିଥିବା ବିଭିନ୍ନ ମାର୍କେଟରେ ପ୍ରାୟ ତିନି ହଜାର ରୁ ଉର୍ଦ୍ଧର ରାସ୍ତାକଡ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି |ଯେଉଁ ମାନେ ଗାଁ ରୁ ପ୍ରତିଦିନ ପରିବା ଆଣିବା ସହ ଏଠାରେ ବିକ୍ରି କରିଥାନ୍ତି |ସେହିଭଳି ସହରର ବିଭିନ୍ନ ଗଳି କନ୍ଦି ରେ ଛୋଟମୋଟ ବହୁ ପାନ ଓ ଚା ଦୋକାନ ରହିଛି |ଏମାନେ ମାସ ସାରା ଯାହା ରୋଜଗାର କରନ୍ତି ସେଥିରେ ସେମାନଙ୍କ ଘର ଚଳିଥାଏ |ଏଭଳି ପରିସ୍ଥିତିରେ ସପ୍ତାହାନ୍ତ ସଟଡାଉନ ଏମାନଙ୍କୁ ପେଟପାଟଣା ଚିନ୍ତାରେ ପକାଇଛି |ଅନ୍ୟପକ୍ଷରେ ଛୋଟ ବଡ ଗୋଦାମ ଓ ଦୋକାନ ଗୁଡିକରେ କାର୍ଯ୍ୟରତ ଥିବା ଦିନ ମଜୁରିଆ ଙ୍କ ମଧ୍ୟ ସମାନ ଅବସ୍ଥା |ଦିନଟିଏ ପୁରା କାମ କଲେ ମାଲିକ ସେମାନଙ୍କୁ ପ୍ରାପ୍ୟ ଦେଇଥାଏ |ଏଭଳି କ୍ଷେତ୍ରରେ ଦୁଇଦିନ ବନ୍ଦ ହେବ ଓ ସେମାନଙ୍କ ବେତନ ଆଗଭଳି ସାତଦିନ ମିଳିବ କି ନାହିଁ ଆଶଙ୍କା ଭିତରେ ଅଛନ୍ତି |ମୋଟାମୋଟି ଭାବେ କହିବାକୁ ଗଲେ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ବ୍ରହ୍ମପୁର ସହରର ସମସ୍ତ ବ୍ୟବସାୟୀଙ୍କ କ୍ଷେତ୍ରରେ କରୋନା କାଳ ହୋଇ ଉଭା ହୋଇଛି |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here