ତରବର ହୋଇ ଯାଇଥିଲେ, ବିକଳ ହୋଇ ଫେରୁଛନ୍ତି …

0
11

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ସାରା ଓଡିଶାରୁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକମାନେ ବାରମ୍ବାର ରାଜ୍ୟକୁ ଫେରିବା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଯାଇଛି |ଏଠାରେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଯାଉଥିବା କୁହାଯାଉଥିଲେ ହେଁ ଏଥିରେ ସତ୍ୟତା କମ ଥିବା ପରିଲକ୍ଷିତ ହୋଇଛି |ସମ୍ପ୍ରତି ବାହାର ରାଜ୍ୟରେ ଏକାଧିକ ସିଫ୍ଟ କାମ ,ଅଧିକ ଆୟ ,ନିୟମିତ ଆୟ ସମେତ ମନରଞ୍ଜନର ଖୋରାକର ଗୋଲୋକ ଧନ୍ଦାରେ ପଡିଛନ୍ତି ଶ୍ରମିକ |ବର୍ଷ ବର୍ଷ ଧରି ସେଠାରେ କାମ କରି ଦୁଇ ପଇସା ସଂଚୟ କରିଥିବା ଶ୍ରମିକ ମାନେ ଗତ ବର୍ଷ ଏବଂ ଚଳିତ ବର୍ଷର କରୋନା କାଳରେ ସମସ୍ତ ପୁଞ୍ଜି କେବଳ ଯାତାୟାତ ଏବଂ ସ୍ୱାସ୍ଥ୍ୟ ସମସ୍ୟାରେ ହରାଇଛନ୍ତି |ବାହାର ରାଜ୍ୟରେ କୌଣସି ବିକଟ ପରିସ୍ଥିତି ସୃଷ୍ଟି ହେଲେ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି |ଫଳରେ ସମଗ୍ର ରାଜ୍ୟବାସୀ ଯେ ,ସମସ୍ୟାରେ ପଡୁଛନ୍ତି ତାହା କରୋନାକାଳ ସିଦ୍ଧ କରିସାରିଛି |ତେଣୁ ଏହି ଶ୍ରମିକ ମାନଙ୍କୁ ସଚେତନ କରିବା ସହ ସେମାନଙ୍କ ପାଇଁ ନିଦ୍ଧିଷ୍ଟ ନୀତି ପ୍ରଣୟନର ଆବଶ୍ୟକତା ରହିଛି |ଆଗାମୀ ଦିନରେ ମଧ୍ୟ କରୋନା ପ୍ରତିବର୍ଷ ତାର କରାଳ ରୂପ ଦେଖାଇବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇସାରିଲେଣି |ଗଞ୍ଜାମ ଜିଲ୍ଲାବାସୀ କରୋନା କାଳରେ ସମସ୍ତ କୋଭିଡ ନୀତି ନିୟମ ପାଳନ କରି ସଂକ୍ରମଣ ନିୟନ୍ତ୍ରଣରେ ରଖିଥିବା ବେଳେ ପ୍ରବାସୀଙ୍କ ସୁନାମି ହିଁ ଜିଲ୍ଲାକୁ ହଟସ୍ପଟରେ ପରିଣତ କରୁଛି |ଗତବର୍ଷ ସମଦଶା ଭୋଗିଥିବା ଜିଲ୍ଲାବାସୀ ଚଳିତ ବର୍ଷ ମଧ୍ୟ ଅନୁରୂପ ପରିସ୍ଥିତିରେ ପଡିଛନ୍ତି |ଗତ କିଛିଦିନ ଭିତରେ ହଜାର ହଜାର ପ୍ରବାସୀ ଓଡିଶା ଫେରିଲେଣି |ଗତ କରୋନା ପରିସ୍ଥିତି ସାମାନ୍ୟ ଟଳିବା ପରେ ପ୍ରଶାସନ ର ବାରଣ ଓ ଗ୍ରାମବାସୀ ମନା କରିବା ସତ୍ୱେ ରାତିଅଧିଆ ଦଲାଲ ମାନଙ୍କ କଥାରେ ପଡି ବାହାର ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ବସ ଯୋଗେ ଫେରିଯାଇଥିଲେ |ଯେଉଁମାନେ ବାହାର ରାଜ୍ୟକୁ ଯାଉଛନ୍ତି ସେମାନଙ୍କ ପଞ୍ଜିକରଣ କରାଯିବାକୁ ନିଷ୍ପତି ହୋଇଥିଲେ ହେଁ ତାହା ହୋଇପାରିନଥିଲା |ସେମାନେ ଏବେ ପୁଣିଥରେ ଘରବାହୁଡା ହେଉଛନ୍ତି |ଏହା ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି |ଗୀରିଶୋଲା ନିକଟସ୍ଥ ସୋରୋଳ ଛକରେ ବ୍ୟାରିକେଟ କରାଯାଇ ବାହାରୁ ଆସୁଥିବା ଗାଡି ଗୁଡିକୁ ଯାଞ୍ଚ କରାଯାଉଛି ଏବଂ ସେଥିରେ ଆସୁଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଛି |

ଏମିତି ପ୍ରତିବର୍ଷ ଚାଲିବ ନା କିଛି ସ୍ଥାୟୀ ପ୍ରତିକାର ହେବ ସେନେଇ ଚିନ୍ତା କରିବା ସମୟ ଆସିଯାଇଛି |ରାଜ୍ୟ ସରକାର ପ୍ରବାସୀଙ୍କ ଏକ ଡାଟାବେସ ପ୍ରସ୍ତୁତ କରିବା ସହ ଆପଦକାଳିନ ସ୍ଥିତିରେ ପ୍ରବାସୀ ପରିଚାଳନା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ଏବଂ ବାହାର ରାଜ୍ୟ ସରକାର ମାନଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥାୟୀ ପ୍ରତିକାର ବ୍ୟବସ୍ତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି |ଗଞ୍ଜାମ ଜିଲ୍ଲାପାଳ ଗତବର୍ଷର ଅଭିଜ୍ଞତାକୁ ନେଇ ଚାଳିତଥରର ଦ୍ରୁତ ସଂକ୍ରମଣ ରୋକିବା ପାଇଁ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ କରିଛନ୍ତି |ଏଥିରେ ଅଧିକ ମାନବ ସମ୍ବଳ ,ନିଷ୍ଠା ଏବଂ କର୍ମଚାରୀଙ୍କ ନିର୍ଭିକତାର ଆବଶ୍ୟକତା ରହିଛି |ତେଣୁ ପ୍ରତିବର୍ଷ ଏଭଳି କରିବା ଆଉ ସମ୍ଭବ ମଧ୍ୟ ହୋଇ ନ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି |

ରିପୋର୍ଟ :ପିଣ୍ଟୁ ବିଷୋୟୀ

LEAVE A REPLY

Please enter your comment!
Please enter your name here