ସପ୍ତାହନ୍ତ ସଟ୍ ଡାଉନରେ ବ୍ରହ୍ମପୁର ସହର ଖାଁ ଖାଁ..

0
47


ବ୍ରହ୍ମପୁର,୨୪/୦୪/୨୧/( ମହାରାଣୀ ନ୍ୟୁଜ୍): କରୋନା ସଂକ୍ରମଣ ସମଗ୍ର ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାକୁ ଦମନ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପକୁ ହାତକୁ ନିଆ ଯାଉଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶର କେତେକ ରାଜ୍ୟରେ ପୂର୍ବରୁ ଲକ୍ ଡାଉନ ଓ ସଟ୍ ଡାଉନ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଛି । ଓଡିଶାରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ହେଉଥିବା ଯୋଗୁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ବର୍ତ୍ତମାନ ସପ୍ତାହନ୍ତ ସଟ୍ ଡାଉନ ଘୋଷଣା କରାଯାଇଛି । ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟ୍ ଡାଉନ ଜାରି କରାଯାଇଛି । ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସହରରେ ଶନିବାର ସକାଳ ୬ଟାରୁ ସଟ୍ଡ଼ାଉନ୍ ଆରମ୍ଭ ହୋଇଛି । କରୋନାର ଦ୍ବିତୀୟ ଲହର ଜିଲ୍ଲାବାସୀ ଏବଂ ସହରବାସୀଙ୍କୁ ଭୟଭୀତ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଦୁଇଦିନିଆ ସପ୍ତାହାନ୍ତ ସଡାଉନ୍ ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି । ସହରର କେବଳ ମେଡ଼ିକାଲ ସେବା ଓ ଜରୁରୀ ସେବାକୁ ବାଦ ଦେଲେ ଯାତାୟାତ ସାଙ୍ଗକୁ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କିନ୍ତୁ କିଛି ଅମାନିଆ ବାହାନା କରି ମେଡ଼ିକାଲ କାମରେ ଯାଉଛୁ କହି ବାହାରେ ବୁଲୁ ଥିବା ଦେଖିବାକୁ ମିଳିଛି । ଗୋଟିଏ ପ୍ରକାର ସହର ପୁରା ଜନଶୂନ୍ୟ ପାଲଟି ଯାଇଛି । ସହରର ଅନ୍ନପୂର୍ଣ୍ଣା ବଜାର, ଅର୍ବାନ ବ୍ୟାଙ୍କ ରୋଡ, ମୟୁରୀ ଟାୱାର, ହନୁମାନ ବଜାର, ବଡ଼ବଜାର, ସାନ ବଜାର ଏବଂ ଗଣେଶ ମାର୍କେଟ, ଇଂଜିନିୟରିଂ ସ୍କୁଲ ରୋଡ଼, ଆଙ୍କୁଲି ସମେତ ସହରର ବିଭିନ୍ନ ଜାଗାରେ ପୋଲିସ କଡା ନଜର ରଖିଥିବା ଯୋଗୁଁ ସହର ପୁରା ଖାଁ ଖାଁ ଦେଖିବାକୁ ମିଳିଛି । ସେହିପରି ସଟ୍ ଡାଉନକୁ କିଭଳି ସହରବାସୀ ପାଳନ କରିବେ ସେ ନେଇ ପୋଲିସ ପକ୍ଷରୁ କଡା ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କ ଲାଗି ସମସ୍ତ ପ୍ରବେଶ ପଥ ଓ ପ୍ରମୁଖ ଛକ ମାନଙ୍କରେ ପୋଲିସ ପକ୍ଷରୁ କଡା ଯାଞ୍ଚ ଚାଲୁ ରହିଛି । ବାହାରେ ବୁଲାବୁଲି କରୁଥିବା ଗାଡ଼ି ଚାଳକଙ୍କ ପରିଚୟପତ୍ର ଦେଖିବା ସହ ତାଗିତ କରି ଛଡ଼ାଯାଉଥିବା ପୋଲିସ କହିଛି । ପୋଲିସ ପକ୍ଷରୁ ଆଜି ସହରରେ କଡ଼ାକଡ଼ି ପାଳନ କରିବା ପାଇଁ ଲାଞ୍ଜିପଲ୍ଲୀ ହାଇୱେଏ, ଟାଟା ବେଞ୍ଚ ଛକ, ଅନ୍ଧପସରା ରୋଡ଼, ଗେଟ୍ ବଜାର ଛକ, ଫାଷ୍ଟ ଗେଟ୍, ଲୋଚାପଡ଼ା ରୋଡ଼, ଖୋଡାସିଙ୍ଗ ବ୍ରିଜ୍ ଆଦି ୭ଟି ଚେକ୍‌ ପୋଷ୍ଟ ସ୍ଥାପନ କରାଯାଇଛି । ପ୍ରତେକ ଚେକ୍ ପୋଷ୍ଟରେ ଜଣେ ପୋଲିସ ଅଫିସର ସମେତ ୩ କନେଷ୍ଟବଳ ଏବଂ ୨ ହୋମ ଗାର୍ଡ ନିୟୋଜିତ ରହି ଯାତାୟାତ କରୁଥିବା ବ୍ୟକ୍ତିଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରା ଯାଉଥିବା ଦେଖିବାକୁ ମିଳିଛି । ଏହାଛଡା ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ପାରାମେଡିକାଲ ଷ୍ଟାଫ, ଇଲେଟ୍ରିସିଟି, ଟେଲିକମ୍, ଜଳ ଯୋଗାଣ, ସଫେଇ ଓ ସେଲ୍ ସେବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟାତ କରୁଥିବା ବେଳେ ଆଇଟି ସେକ୍ଟର କର୍ମଚାରୀ, ଜରୁରୀକାଳୀନ ସେବା କର୍ମଚାରୀ, ମେଡିକାଲ ଓ ଔଷଧ ଦୋକାନ ର କର୍ମଚାରୀ ଏବଂ ମାଲିକମାନେ ନିଜର ପରିଚୟପତ୍ର ଦେଖାଇ ଯାତାୟାତ କରିବାକୁ ନିର୍ଦ୍ଦେଶ ରହିଛି । ଏହାସହ ମେଡ଼ିକାଲ କାର୍ଯ୍ୟରେ ଗାଡ଼ି ଚଳାଚଳ ହେଉଥିବା ବେଳେ ଅତ୍ୟାବଶ୍ୟକ ଭାରି ଜାନ ଯାତାୟାତ କରିବା ପାଇଁ ଅନୁମତି ରହିଛି । ହୋଟେଲ୍ ପରିଚାଳନା କରୁଥିବା ଏବଂ ସେବା ଯୋଗାଉଥିବା ବ୍ୟକ୍ତି କାମରେ ଚଳପ୍ରଚଳ କରିପାରିବେ । ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଖୋଲା ରହିବ କିନ୍ତୁ କେବଳ ପାର୍ସଲ ଦେବାକୁ ନିୟମ ରହିଛି । ଜରୁରିସେବା କୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି । ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଯାତାୟାତ କରିପାରିବେ । ସେହିପରି କେବଳ ଅତ୍ୟାବଶ୍ୟକୀୟ କାଯ୍ୟ ପାଇଁ ଯାଉଥିବା ଗାଡ଼ି କୁ ଅନୁମତି ଦିଆଯିବା ସହ ନିୟମ ଉଲଘଂନକାରୀଙ୍କ ପ୍ରତି ଜୋରିମାନା ଆଦାୟ କରାଯିବ ପୋଲିସ ପକ୍ଷରୁ ସୂଚନା ମିଳିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here