କାର୍ଯ୍ୟରତ ରାଜସ୍ୱ ଅଧିକାରୀଙ୍କୁ ହତ୍ୟା ଧମକ: ୨ ଗିରଫ

0
2

ବ୍ରହ୍ମପୁର,୩୦/୦୭/୨୧/(ମହାରାଣି ନ୍ୟୁଜ୍): ବେଆଇନ ଭାବେ ପଥର ଚୋରାଚାଲାଣ କରିବା, କାର୍ଯ୍ୟରତ ରାଜସ୍ୱ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଏବଂ ବଳପୂର୍ବକ ଜବତ ସାମଗ୍ରୀ ଛଡ଼ାଇ ନେବା ଅଭିଯୋଗରେ ଆଜି ସଦରଥାନା ପୋଲିସ୍ ୨ ଜଣ ଅଭିଯୁକ୍ତକୁ ଗିରପ କରି କୋର୍ଟଚାଲଣ କରିଛି । ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ ଭାବିନିପୁର ରାଉଳ ସାହିର ସନ୍ତୋଷ କୁମାର ରାଉଳ (୩୮) ଏବଂ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଶିକୁଳିପଲ୍ଲି ଗ୍ରାମର ସୁଦାମ ଦାସ (୩୦) । ଘଟଣାରୁ ପ୍ରକାଶ ଯେ ୨୯ ତାରିଖ ଦିନ ସକାଳ ସମୟରେ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ପଥର ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ପାଇଲା ପରେ ଡ଼ୁରା ରାଜସ୍ୱ ନିରୀକ୍ଷକ, ଇନ୍ଦ୍ରାକ୍ଷି ଆର୍‌ଆଇ, ଡ଼ୁମୁଡ଼ୁମି ଏବଂ ଗୋପାଳପୁର ଆର୍‌ଆଇଙ୍କ ନେଇ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ଚଢ଼ାଉ ଆରମ୍ଭ ହୋଇଥିଲା । ଝାଡ଼ାଙ୍କୁଲି ନିକଟରୁ ଏକ ଟ୍ରକ୍ଟର (ଓଡ଼ି ୦୭ ଆର୍ ୧୭୦୫) ଡ଼ାଲା (ଓଡ଼ି ୦୭ ଆର୍ ୧୭୦୬)ରେ ପଥର କୁଆଁରିରୁ ବେଆଇନ ଭାବେ ପଥର ଚୋରାଚାଲଣ ହେଉଥିବା ଦେଖି ଏନଫୋର୍ସମେଣ୍ଟ ଟିମ୍ ଏହାକୁ ଜବତ କରିବା ସହ ବଡ଼କୁସସ୍ଥଳି ଆର୍‌ଆଇ କାର୍ଯ୍ୟାଳୟକୁ ନେଉଥିଲେ । ଏହି ସମୟରେ ରାସ୍ତାରେ ଟ୍ରାକ୍ଟର ମାଲିକ ସନ୍ତୋଷ କୁମାର ରାଉଳ ଏବଂ ଡ଼୍ରାଇଭର ରାଜସ୍ୱ ନିରୀକ୍ଷକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ବଳପୂର୍ବକ ଜବତ କରିଥିବା ଟ୍ରାକ୍ଟରକୁ ନେଇ ଚାଲିଯାଇଥିଲେ । ଏନେଇ ଗତକାଲି ଡ଼ୁରା ଆର୍‌ଆଇ ନିରାକାର ସେଠୀ ସଦରଥାନାରେ ଅଭିଯୋଗ କରିବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଆଜି ଉଭୟ ଅଭିଯୁକ୍ତକୁ ଥାନା କେସ ନଂ ୨୫୨/୨୯.୭.୨୦୨୧ ୟୁ/ଏସ୍ ୩୪୧/୨୯୪/୩୭୯/୩୫୩/୫୦୬/୩୪ ଆଇପିି/ଆର୍‌/ଡ଼ବ୍ଲ୍ୟୁ ସେକ୍ସନ ୧୨ ଓଡ଼ିଶା ଖଣିଜାତ ଦ୍ରବ୍ୟ ଆଇନ ଅନୁସାରେ କୋର୍ଟଚାଲଣ କରାଯିବା ସହ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here