୨୩୦କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ଟ୍ରାକ୍ଟର ଜବତ : ୧ ଗିରଫ

0
1

ଦିଗପହଣ୍ଡି,୦୭/୦୮/୨୧/(ପରାମର୍ଶ ନ୍ୟୁଜ୍):ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତ ଅଧିନସ୍ଥ ଧେରେଣ୍ଡି ଗ୍ରାମ ଛକ ନିକଟରୁ ଶୁକ୍ରବାର ସକାଳୁ ଏକ ଟ୍ରାକ୍ଟର ଯୋଗେ ବେଆଇନ ଭାବେ  ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଦିଗପହଣ୍ଡି ପୁଲିସ ହାବୁଡ଼ରେ ପଡ଼ିଥିଲା । ପରେ ଗାଡ଼ି ଯାଞ୍ଚ ବେଳେ ସେଥିରେ ୨୩୦ରୁ ଉର୍ଦ୍ଧ୍ବ ଗଞ୍ଜେଇକୁ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିଲା । ଗିରଫ ଜଣକ ହେଲେ ଦିଗପହଣ୍ଡି ଥାନା ଅଧିନ ଛାଣମେରୀ ଗ୍ରାମ ବଡ ସାହିର ଶିବ ରାଉଳ (୪୧) । ତେବେ ପୁଲିସ ଶିବଙ୍କ ନିକଟରୁ ୨୩୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ବ୍ୟବହୃତ ଟ୍ରାକ୍ଟରକୁ ଜବତ କରିଛି।ସୂଚନାଯୋଗ୍ୟ ଯେ ,ଗତକାଲି ସକାଳୁ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ବଳଭଦ୍ର ଗଣ୍ଡ ଓ ତାଙ୍କ ଟିମ୍ ଉକ୍ତ ରାସ୍ତାରେ ପେଟ୍ରୋଲିଂ ଦାୟିତ୍ଵରେ ରହିଥିବା ବେଳେ ୪ ରୁ ୫ ଯୁବକ ଗଜପତି ଅଞ୍ଚଳରୁ ବେଆଇନ ଭାବେ ୯ଟି ଗଞ୍ଜେଇବସ୍ତାକୁ ପାଲ ଘୋଡାଇ ଏକ ଟ୍ରାକ୍ଟର ( ଓଡି ୦୭ ସି ୫୪୦୩ ) ଯୋଗେ ବେଆଇନ ଭାବେ ଧେରେଣ୍ଡି – ଚକାତେନ୍ତୁଳି ରାସ୍ତାରେ ଚୋରାଚାଲାଣ କରୁଥିଲେ । ବିଶେଷ ସୁତ୍ରରୁ ପୁଲିସ ଖବରପାଇ ଉକ୍ତ ଗାଡିର ପିଛା କରି ଅଟକାଇଥିଲା । ତେବେ ପୁଲିସକୁ ଦେଖି ୪ ଯୁବକ ଜଙ୍ଗଲ ରାସ୍ତାରେ ଚମ୍ପଟ ମାରିଥିବା ବେଳେ ଅଭିଯୁକ୍ତ ଶିବ ପୋଲିସ କବଜାରେ ଫଶି ଯାଇଥିଲା । ଘଟଣାପରେ ଗତକାଲି ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜବତ ହୋଇଥିବା ୯ବସ୍ତା ଗଞ୍ଜେଇ ର ଓଜନ କରି ସେଥିରେ ଥିବା ଗଞ୍ଜେଇର ପରିମାଣ ୨୩୧ କେଜି ୬୦୦ ଗ୍ରାମ  ବୋଲି  ସୂଚନା ଦିଆଯାଇଥିଲା । ଏହି ଅବସରରେ ଦିଗପହଣ୍ଡି ପୁଲିସ ବ୍ୟବହୃତ ଟ୍ରାକ୍ଟର ସମେତ ଦୁଇଟି ମୋବାଇଲ , ଦୁଇଟି ବ୍ୟାଙ୍କ ଖାତା , ୬ ଟି ବ୍ଳାଙ୍କ ଚେକ୍ , ନଗଦ ୨୦ ହଜାର ଟଙ୍କା ଏବଂ ଖାତାରେ ଜମାଥିବା ୧୧ ଲକ୍ଷ ୯୯ ହଜାର ୩୧୪ ଟଙ୍କାକୁ ଜବତ କରିଥିବା ଜଣାପଡ଼ିଛି । ତେବେ ଗଞ୍ଜେଇର ଆକଳନ ମୂଲ୍ୟ ବଜାରରେ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିପାରିଛି । ଏନେଇ ଦିଗପହଣ୍ଡି ଥାନା ମାମଲା ନଂ ୨୦୧/୨୦୨୧, ଦଫା ୨୦(ବି) ଆଇଆଇ(ସି)/୨୯ ଏନ୍ ଡିପିଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶିବକୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳରେ ଅସାମାଜିକ ଯୁବକ ମାନେ ଏଭଳି କାର୍ଯ୍ୟରେ ଜଡ଼ିତ ରହିଥିବା ବେଳେ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ବ୍ୟାପକ ଭାବେ ଚଢାଉ କରି ଅଞ୍ଚଳରେ ଗଞ୍ଜେଇ କାରବାର କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହ ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ପୁଲିସ କହିଛି  । ଦିଗପହଣ୍ଡି ପୁଲିସ ଏଭଳି କାର୍ଯ୍ୟ ଯୋଗୁଁ ବିଭିନ୍ନ ମହଲରୁ  ପ୍ରଶଂସା ର ସୁଅଛୁଟୁଛି ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here