ଡେଙ୍ଗାପଦରରେ ହେବ ନୂତନ ବାଣ ବଜାର

0
2

ବ୍ରହ୍ମପୁର,୧୧/୦୯/୨୧/:(ମହାରାଣୀ ନ୍ୟୁଜ୍):ଚଳିତ ବର୍ଷ ବାଣ ଅମାବାସ୍ୟାକୁ ନେଇ ସଜବାଜ ହେଉଛନ୍ତି ହୋଲ୍‌ସେଲ୍‌ ବ୍ୟବସାୟୀ । ୨୦୧୯ ମସିହାରୁ ପ୍ରଶାସନର ନିର୍ଦେଶ କ୍ରମେ ବ୍ରହ୍ମପୁର ସହରର ଆମ୍ବ ବଜାର ମଧ୍ୟରେ ଥିବା  ବାଣ ମାର୍କେଟ  ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ସହର ମଧ୍ୟରେ ବାଣ ବଜାର ବନ୍ଦ କରି  ବ୍ୟବସାୟୀମାନେ ସେମାନଙ୍କର ନିଜସ୍ବ ଖର୍ଚ୍ଚରେ ଡେଙ୍ଗାପଦର ଠାରେ ପ୍ରଶାସନର ନିୟମ ଅନୁସାରେ ଏକ ବାଣ ବଜାର ନିର୍ମାଣ କରୁଛନ୍ତି । ଏହାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷର ଦୀପାବଳି ଅବସରରେ ଏଠାରେ ବାଣ ବିକ୍ରି କରାଯିବ ବୋଲି ପ୍ରଶାସନ ନିକଟରୁ ଅନୁମତି ମିଳିଥିବା ହୋଲସେଲ୍ ବ୍ୟବସାୟୀ ଏସ୍ ଦୀପକ କୁମାର ସୂଚନା ଦେଇଛନ୍ତି । ଦୀପାବଳି ପାଇଁ ଆଉ ଦେଢ ମାସ ସମୟ ରହିଥିବା ରହିଛି ଏହା ପୂର୍ବରୁ ସମସ୍ତ କାର୍ଯ୍ୟ ବଜାରକୁ  ଚକା ଚକ୍  କରାଯିବ ବୋଲି ସେ କହିଛନ୍ତି । ବ୍ରହ୍ମପୁର ରୁ ମାତ୍ର ୧୨କିଲୋମିଟର ମଧ୍ୟରେ ଅର୍ଥାତ୍ ଦିଗପହଣ୍ଡି ଯିବା ରାସ୍ତାରେ ଡେଙ୍ଗାପଦର ମୁଖ୍ୟ ରାସ୍ତାରେ ଏହି ନୂତନ ବଜାର ନିର୍ମାଣ ହୋଇଛି । ବାଣ ବ୍ୟବସାୟୀମାନେ ନିଜ ଟଙ୍କାରେ ଗୋଟିଏ ଏକର ପରିମିତି ଜମି କିଣି ଏହି ବଜାର ନିର୍ମାଣ କରିଛନ୍ତି । ନିୟମ ପ୍ରକାରେ ପ୍ରବେଶ ପଥ ଓ ବାହାରିବା ପଥ କୁ ବେଶ ଚଉଡ଼ା ରଖାଯାଇଛି । ନିୟମ ଅନୁଯାୟୀ ଦୋକାନ ଗୁଡ଼ିକ ମଧ୍ୟରେ ବେଶ ବ୍ୟବଧାନ ମଧ୍ୟ ରହିଛି । ଏଠାରେ ୪ଟି ଦୋକାନ ଓ ୪ଟି ଗୋଦାମ ଥିବା କହିଛନ୍ତି ବାଣ ବ୍ୟବସାୟୀ ମାନେ । ତେବେ ଏଠାରେ ୨୬ହଜାର ପରିମାଣ ବାଣ ରଖିବାକୁ ଅନୁମତି ମିଳିଥିବା କହିଛନ୍ତି ବ୍ୟବସାୟୀ ମାନେ। ସୁରକ୍ଷା କୁ ଦୃଷ୍ଟି ଆଗରେ ରଖି ଅଗ୍ନିଶମ ବିଭାଗ ଗାଡ଼ି ଓ ଆମ୍ବୁଲାନ୍ସ ରହିବା ପାଇଁ ଯଥେଷ୍ଟ ପରିମାଣ ସ୍ଥାନ ରହିଛି । ତେବେ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଯୋଗୁଁ ସହରବାସୀ ସେଠାକୁ ଯାଇ ବାଣ ଆଣିବେ ନା ନାହିଁ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବା । ସେ ଯାହା ହେଉନା କାହିଁକି ସୁରକ୍ଷା ଦୃଷ୍ଟିରୁ ସହର ଉପକଣ୍ଠରେ ଏହି ବାଣବଜାର ପାଇଁ ସ୍ଥାନ  ନିରୂପଣ କରାଯାଇଥିବା ଯୋଗୁଁ ଲୋକେ ଏହାକୁ ସ୍ବାଗତ କରିଛନ୍ତି । ସୂଚନା ରୁ ପ୍ରକାଶ ଥାଉ କି ୨୦୧୯ ମସିହାରେ ବାଣ ଅମାବାସ୍ୟା ସମୟରେ ବାଣ ବ୍ୟବସାୟୀମାନେ ବ୍ରହ୍ମପୁର ଆମ୍ବ ବଜାର ମଧ୍ୟରେ ବାଣ ବ୍ୟବସାୟ ପୂର୍ବ ଭଳି ଚାଲୁ ରଖିବା ପାଇଁ ଯୋଜନା କରି  କୋଟି କୋଟି ଟଙ୍କାର ବାଣ ଆଣି ସେଠାରେ ଗଚ୍ଛିତ ରଖିଥିଲେ କିନ୍ତୁ ଏହାକୁ ପ୍ରଶାସନ ଏବଂ ପୁଲିସ ବିକ୍ରି ପାଇଁ ଅନୁମତି ଦେଇନଥିଲା । ଫଳରେ ବାଣ ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ବାଣ ଗଚ୍ଛିତ ଅବସ୍ଥାରେ ହିଁ ନଷ୍ଟ ହୋଇଥିଲା । ପରେ କରୋନା କଟକଣା ଯୋଗୁଁ ବାଣବଜାର ବନ୍ଦ ରହିଥିଲା । ଚଳିତ ବର୍ଷ କରୋନା କଟକଣା କୋହଳ ହେଲେ ନୂତନ ଭାବେ ନିର୍ମାଣାଧିନ ଡେଙ୍ଗାପଦର ବାଣବଜାର ଚାଲୁ ହେବ ବୋଲି କୁହାଯାଇଛି । ଏଠାରେ  ଶୁଭଲକ୍ଷ୍ମୀ ସାହୁ , ସୌରଭ କୁମାର ସାହୁ , ଦୀପକ କୁମାର ରାଓ ଏବଂ ଅମର କୁମାର ସାହୁ ପ୍ରମୁଖ ୪ଜଣ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କୁ ବାଣ ବିକ୍ରି କରିବା ପ୍ରଶାସନ ଅନୁମତି ଦେଇଛି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here