ବିଦ୍ୟାଳୟ ପରିଦର୍ଶନ କଲେ ‘ମୋ ସ୍କୁଲ୍ ’ ଟିମ୍‌ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର

0
71

ବ୍ରହ୍ମପୁର:( ମହାରାଣୀ ନ୍ୟୁଜ ) ‘ମୋ ସ୍କୁଲ ଅଭିଯାନ’ ର ଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ‘ମୋ ସ୍କୁଲ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନାଙ୍କ ନେତୃତ୍ବରେ ଆସିଥିବା ଏକ ୩ ଜଣିଆ ଟିମ୍ ଜିଲ୍ଲାର ହିଂଜିଳି, ପରେ ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ମୋ ସ୍କୁଲ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହାସହ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସରକାରୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଲାଗି ସହଯୋଗର ହାତ ବଢ଼ାଇଥିବା ଗପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।


ତେବେ ଆଜି ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ ସ୍କୁଲ କୁ ‘ମୋ ସ୍କୁଲ’ ର ଏକ ସ୍ୱତନ୍ତ୍ର ଟିମ୍ ଆସି ଏଠାକାର ମୋ ସ୍କୁଲ ଅଭିଯାନ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ବୁଲି ଦେଖିଲେ । ବିଦ୍ୟାଳୟ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ କିଭଳି ଉନ୍ନତି ଅଣାଯାଇପାରିବ ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ କରାଯାଇପାରିବ ତାହା ଉପରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇଥିଲେ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭିନ୍ନ ଯୋଜନା କରୁଥିବା ବେଳେ ତାହାର ଲାଭ ଯେପରି ପିଲାମାନଙ୍କ ପାଖରେ ପହଞ୍ଚିପାରିବ ସେନେଇ ଶ୍ରୀ ଜେନା ଶିକ୍ଷକମାନଙ୍କୁ ବୁଝାଇଥିଲେ । ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଅଧୀନରେ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଦ୍ବାରା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ଖୁସିବ୍ୟକ୍ତ ମଧ୍ୟ କରିଥିଲେ । ଏହି ଅବସରରେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ସହଯୋଗ କରିଥିବା ମେଡ଼ିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଗତକାଲି ବେଲଗୁଣ୍ଠା ବ୍ଲକର ଘୁମୁସୁର ବୈଷୟିକ ଉଚ୍ଚ ବିଦ୍ୟାଳୟ , ଆର୍ଯ୍ୟକନ୍ୟା ଗୁରୁକୁଳ, ଧୁମୁଛାଇ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ଭଞ୍ଜନଗର ବ୍ଲକ୍‌ର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଓ ଭେଜିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ‘ମୋ ସ୍କୁଲ’ ଟିମ୍ ଯାଇ ସେଠାରେ ମୋ ସ୍କୁଲ ଅଭିଯାନ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ବୁଲି ଦେଖିଲେ ।


ଆଜିର ସ୍କୁଲ ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ମହାପାତ୍ର, “ମୋ ସ୍କୁଲ” ର ଲୋକ ସମ୍ପର୍କ ଅଧିକାରିଣୀ ସସ୍ମିତା ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ମୋ ସ୍କୁଲ ଟିମ ର ବ୍ରହ୍ମପୁର ସହର ସହ , ହିଞ୍ଜିଳିକାଟୁ ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା । ରାଜ୍ୟର ସରକାରୀ ବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଇତିମଧ୍ୟରେ ୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରିଥିବା ବେଳେ ବିଭିନ୍ନ ମାଧ୍ୟମରେ ସେବା ଯୋଗାଇ ଦେଇଛନ୍ତି । ନିଜ ବିଦ୍ୟାଳୟ ସହ ସଂଯୋଗ ହେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ବାନକୁ ସ୍ବୀକାର କରି ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ଲକ୍ଷାଧିକ ପୁରାତନ ଛାତ୍ର ଏବଂ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ପରିଶେଷ ରେ ଶ୍ରୀ ଜେନା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକୁ ସେ ପ୍ରଶଂସା କରି ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here