ଛତୁ ଫ୍ୟାକ୍ଟ୍ରିରେ ଚାଲିଥିବା ନକଲି ଗୁଟୁଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ

0
90

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ତା :16/03/2021

ଗତ କିଛିଦିନ ଧରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଏହାର ଆଖପାଖ ଇଲାକା ଗୁଡିକରେ ଛତୁ ଫୁଟିଲା ଭଳି ନକଲି ଖାଦ୍ୟ ପଦାର୍ଥ, ମାଦକ ଦ୍ରବ୍ୟ ଭଳି କାରଖାନା ଗଢି ଚାଲିଛି । ଅନ୍ୟପଟେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ସଦଳବଳେ ଉକ୍ତ କାରଖାନା ଗୁଡିକୁ ଚିହ୍ନଟ କରି ସିଲ୍ କରୁଥିବା ବେଳେ ଅନ୍ୟପଟେ ବ୍ୟବସାୟୀ ଅନ୍ୟତ୍ର ଏହାର ଠିକଣା ବଦଳାଉଛନ୍ତି । ଯାହା ଅବକାରୀ ଓ ପୋଲିସ ପାଇଁ ନାକେଦମ ହେବା ସହ ମୁଣ୍ଡ ବ୍ୟଥାର କାରଣ ସାଜିଛି । କହିବାକୁ ଗଲେ ରାଜ୍ୟରେ ବ୍ରହ୍ମପୁର ନକଲି ସାମଗ୍ରୀର ଗନ୍ତାଘର ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡିବାରେ ଅଗ୍ରଣୀ ଭୂମିକା ସୃଷ୍ଟି କରିଛି । ଗତ କିଛି ଦିନ ଧରି ପୋଲିସ ଓ ଅବକାରୀ ବିଭାଗ ସହରର ବିଭିନ୍ନ ସ୍ଥାନରୁ ନକଲି ମଦ, ଗୁଟୁଖା କାରଖାନା ଠାବ କରୁଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ଭଣ୍ଡାରୀ ସାହିର ଗେଟ୍ ବନ୍ଧ ନିକଟରେ ଛତୁ ଫ୍ୟାକ୍ଟ୍ରିରୁ ନକଲି ଗୁଟୁଖା ଫ୍ୟାକ୍ଟ୍ରି ଠାବ କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ସ୍ଥାନୀୟ ତହସିଲଦାର । ପୋଲିସର ଆଖିରେ ଧୂଳି ଦେବା ପାଇଁ ଛତୁ ଫ୍ୟାକ୍ଟ୍ରିରେ ଏଭଳି ଭାବେ ଗୁଟୁଖା ଫ୍ୟାକ୍ଟ୍ରି ଚଳେଇ ଆସୁଥିଲେ ବ୍ୟବସାୟୀ । ତେବେ ଛତୁ ଫ୍ୟାକ୍ଟ୍ରିର ଏକ ବନ୍ଦ କୋଠରୀ ଭିତରେ ତାଲା ପଡିଥିବା ବେଳେ କବାଟ କୁ ଭଙ୍ଗାଯାଇ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବିଭିନ୍ନ କମ୍ପାନୀର ନକଲି ଗୁଟୁଖା ଜରି, ମସଲା, ପ୍ରସ୍ତୁତ ହେଉଥିବା ମେସିନ ସହ ୨୦୦୦ ପ୍ୟାକଟ ନକଲି ଗୁଟୁଖା ଜବତ ହୋଇଥିବା ସୂଚନା ମିଳିଛି । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ହି ସମସ୍ତ ଗୁଟୁଖା ସିଲ୍ କରାଯିବା ସହ ଉକ୍ତ ଫ୍ୟାକ୍ଟ୍ରିକୁ ମଧ୍ୟ ସିଲ୍ କରିଦିଆଯାଇଛି ।ତେବେ ଏହି ଫ୍ୟାକ୍ଟ୍ରିର ମାଲିକ ସ୍ଥାନୀୟ ଲୋଚାପଡା ଓ ବି. ଜଗନ୍ନାଥପୁରର ବୋଲି ଅଞ୍ଚଳବାସୀ କହିଥିବା ଜଣାପଡିଛି । ଗତ କିଛି ମାସ ତଳେ ମଧ୍ୟ ତତ୍କାଳୀନ ଉପ ଜିଲ୍ଲାପାଳଙ୍କ ସହ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଏକ ବଡ଼ଧରଣର ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରି କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ନକଲି ଗୁଟ୍‌ଖା ଜବତ କରିଥିଲେ । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ଏହି ନକଲି କାରଖାନାର ଠିକଣା ସ୍ଥାନୀୟ ପୋଲିସ ଜାଣି ପାରିଲା ନାହିଁ କେମିତି ! ଯାହାର ସୂଚନା ସିଧାସଳଖ ଉପଜିଲ୍ଲାପାଳଙ୍କ ପାଖରେ ଯାଇ ପହଞ୍ଚିଲା ? ସେ ଯାହାବି ହେଉନା କାହିଁକି ନକଲି ଗୁଟୁଖା କାରଖାନା ଠାବ ହେବା ଏବଂ ତାହା ସିଲ୍ ହେବା ସବୁଠାରୁ ବଡ଼କଥା । କିନ୍ତୁ ଏହିଭଳି ବ୍ରହ୍ମପୁର ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଗୁଡ଼ାଏ ନକଲି କାରଖାନା ରହିଛି ଯାହା ପୋଲିସ ଓ ଅବକାରୀ ବିଭାଗର ନାକନିଶ ତଳେ କାରବାର ଚାଲିଥିବା ଜଣାପଡୁଛି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here