ଆଜି ପଖାଳ ଦିବସ ଡାଲମାର ପଖାଳ ଚାହିଦା ବେଶି..

0
41

ବ୍ରହ୍ମପୁର,୨୦/୦୩/୨୧/(ମହାରାଣୀ ନ୍ୟୁଜ୍ ):ଉତୁଉଟିଆ ଖରାରେ ପଖାଳ ଟିକେ ବାଜିଲେ ଶାନ୍ତି ଲାଗିଓ ବା । ଏକଥା ଆମେ କହୁନୁ ବା ଏହା ଗଞ୍ଜାମବାସୀଙ୍କ ମନର କଥା । ଏକଦା ଚାଷୀ ମୂଲିଆ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ ଯାଏଁ ସଭିଙ୍କ ପ୍ରିୟର ପଖାଳ । ଆଜି ତା ଦିବସ ପାଳୁଛି । ବିଭିନ୍ନ ସଂଗଠନ ପକ୍ଷରୁ ଆଜି ପଖାଳ ଦିବସ ଭାବେ ପାଳନ ହେଉଛି ।
ଓଡ଼ିଆ ଜାତିର ମୁଖ୍ୟ ଖାଦ୍ୟ ପଖାଳ। ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ହେଉଛି ପଖାଳ। ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଦହି ପଖାଳ ସାଙ୍ଗକୁ ବଡ଼ି ଚୁରା ,ଶାଗ ଭଜା ,ଆଳୁ ଭର୍ତ୍ତା,ମାଛ ଭଜା ,ଘଣ୍ଟା,ପତ୍ରରକୋବି ଭଜା , ଆଚାର ଆଉ ପିଆଜ ଖଣ୍ଡେ । ଆଃ, କହିଦେଲେ ମୁହଁରେ ପାଣି ଆସିଯାଉଛି। ଖରାରେ ବୁଲି ବୁଲି ଆସି ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି । ସେ ଶାନ୍ତି ବୋଧ ହୁଏ ଦେବତାଙ୍କ ଅମୃତ ହାଣ୍ଡିରେ ବି ନଥିବ । ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ ଯୁଆଡ଼େ ଥିଲେ ବି ପଖାଳ ଯେପରି ହାତ ଠାରି ଡାକୁ ଥିବା ମନେ ହେଉଛି । ପଖାଳ ଓଡ଼ିଆ ମାନଙ୍କର ଗର୍ବ ଐତିହ୍ୟ ଓ ଅମୃତ ସଦୃଶ । ମାଟି ହାଣ୍ଡିରେ ମହମହ ବାସୁଥିବା ପଖାଳର ମଜା ଓ ସେଥିରେ ପଡିଥିବା ତୁଳସୀ ପତ୍ର ର ବାସ୍ନା ର ମଜା ନେବା ନିଆରା । ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟଲେ ସବୁଠି ପଖାଳର ଚାହିଦା । ପଖାଳ ଆଗରେ ବଡ଼ ବଡ଼ ରେଷ୍ଟୁରାଣ୍ଟର ମହଙ୍ଗା ଡିସ ମଧ୍ୟ ଫିକା । ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ୨୦୧୧ ପର ଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ । ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ମନେ ପଡ଼ିଥାଏ । ପଖାଳ ସାଙ୍ଗକୁ କିଛି ଭଜା ହେଉ କି ବଡ଼ି ଚୁରା ଆଦି ଖାଇ, ତୋରାଣି ମୁନ୍ଦେ ପିଇଦେଲେ ଆପେ ଆପେ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….। ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ। ସାଧାରଣତଃ ଖରାଦିନେ ଲୋକମାନେ ଦହି ପଖାଳ ଖାଇବାକୁ ଭଲ ପାଆନ୍ତି। ଏବେ ଛୋଟବଡ଼ ହୋଟେଲ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ଯଥା ଦହି ପଖାଳ, ଜୀରା ପଖାଳ, ବାସି ପଖାଳ, ସଜ୍ଜ ପଖାଳ ପ୍ରଭୁତି ପସ୍ତୁତ କରାଯାଉଛି। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । ପଖାଳକୁ ନେଇ ବ୍ରହ୍ମପୁର ଡାଲମା ହଟେଲର ସ୍ଵତନ୍ତ୍ରତା ରହିଛି । ପ୍ରଦିଦିନ ଏଠି ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ପ୍ରତିଦିନ ସହରକୁ ଆସୁଥିବା ଲୋକେ ଏଠାକୁ ଖାଇବାକୁ ଆସିଥାନ୍ତି । ଏଠାରେ ଭିନ୍ନ ଭିନ୍ନ ରକମର ଖାଦ୍ୟ ପରସାଯାଏ । ୭୦ଟଙ୍କାରେ ଆରମ୍ଭ ହୋଇ ୧୪୦ ଟଙ୍କା ପର୍ଯ୍ୟନ୍ତ ପଖାଳ କଂସା ଦର ରହିଛି । ବଡ଼ି, ଶାଗ, ଆଳୁ ଭରତା ଆଦିରେ ସୁସଜ୍ଜିତ କରି ପ୍ଲେଟ ଦିଆଯାଏ । ଥାଳି ଭଳି ଖାଦ୍ୟର ସ୍ୱାଦ ମଧ୍ୟ ନିଆରା । ଖରାବର୍ଷା ପ୍ରତ୍ୟକ ସମୟରେ ପଖାଳ ଖାଇବା ପାଇଁ ଏଠାକୁ ଲୋକଙ୍କ ସୁଅ ଛୁଟେ। ତେବେ ଆଜି ପଖାଳ ଦିବସ ଅବସରରେ ବ୍ରହ୍ମପୁର ଡାଲମା ହୋଟେଲରେ ପଖାଳପ୍ରେମୀଙ୍କ ଭିଡ଼ ଜମିବ ବୋଲି କହିଛନ୍ତି ହୋଟେଲ ମାଲିକ କେ.ସୁରେନ୍ଦ୍ର ଦାସ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here