ଘର ଟିକସ ବୃଦ୍ଧି ପ୍ରସଙ୍ଗରେ ପାତରଅନ୍ତର କାହିଁକି ?ଭୁବନେଶ୍ୱରରେ ‘ନା ‘ ବ୍ରହ୍ମପୁରରେ ‘ହଁ ‘..

0
6

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) :ରାଜ୍ୟ ସରକାର ଲୋକମତ କୁ ସମ୍ମାନ ଜଣାଇବା ସହ କଂଗ୍ରେସର ପ୍ରତିବାଦ ଫଳରେ ଭୁବନେଶ୍ୱର ମହାନଗର ନିଗମରେ ଲାଗୁ କରାଯାଇଥିବା ବର୍ଦ୍ଧିତ ଘର ପାନୁକୁ ସ୍ଥଗିତ ରଖିଛନ୍ତି |ତେବେ ବ୍ରହ୍ମପୁରରେ ଲୋକଙ୍କ ସରଳତାର ସୁଯୋଗ ନେଇ ଏବଂ ବିଜେଡି ନେତାଙ୍କ ନେତୃତ୍ୱର ଅଭାବ ଯୋଗୁଁ ଏଠାରେ ଲୋକଙ୍କ ଠାରୁ ବର୍ଦ୍ଧିତ ହାରରେ ଟିକସ ଆଦାୟ କରାଯାଉଛି ବୋଲି କଂଗ୍ରେସ ନେତା ପୀତବାସ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି |ସୂଚନା ଅଧିକାର ଆଇନ ବଳରେ ଶ୍ରୀ ପଣ୍ଡା ପାଇଥିବା ତଥ୍ୟ ଅନୁଯାୟୀ ବ୍ରହ୍ମପୁର ପୌର ପରିଷଦ ଗତ 2017-18 ମସିହାରେ ମୋଟ 4,53,50,598 ଟଙ୍କା ଘର ପାନୁ ଆକାରରେ ଲୋକଙ୍କ ଠାରୁ ଆଦାୟ କରିଛି |2019-20 ମସିହାରେ ଲୋକେ କରୋନାରେ ଜୀବିକା ହରାଇ ଦୁଃଖ କଷ୍ଟରେ ରହିଥିବା ବେଳେ ସେହି ସମୟରେ ନିଗମ କର୍ତ୍ତୃପକ୍ଷ ଲୋକଙ୍କ ଠାରୁ 9,54,75,190 ଟଙ୍କା ଆଦାୟ କରିଛନ୍ତି |ଅତଏବ ଏହା ମଧ୍ୟରେ ପାଖାପାଖି ଶତ ପ୍ରତିଶତ ଟିକସ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି |ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ବ୍ରହ୍ମପୁର ଆସି ସହରର ଦାୟିତ୍ୱ ମୋର ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ |ସ୍ଥାନୀୟ ବିଜେଡି ନେତା ମାନେ ନିର୍ବାଚନରେ ଜିତିବା ପାଇଁ ବ୍ରହ୍ମପୁରର ବିକାଶ କରାଯିବ ବୋଲି କହିଥିଲେ |କିନ୍ତୁ ବ୍ରହ୍ମପୁର ସହର ଏବେ ରାଜ୍ୟ ସରକାରଙ୍କର ସମସ୍ତ ଜନବିରୋଧୀ କାର୍ଯ୍ୟର ପ୍ରୟୋଗଶାଳା ହୋଇଯାଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି |ଭୁବନେଶ୍ୱର ,କଟକ ଆଦି ବଡ଼ବଡ଼ ସହରରେ ଘରପାନୁ ବୃଦ୍ଧି ହୋଇନାହିଁ କିମ୍ବା ପାର୍କ ଗୁଡିକରେ ପ୍ରବେଶ ଶୁଳ୍କ ଆଦାୟ କରାଯାଉନାହିଁ |ଲୋକଙ୍କୁ ୟୁଜର୍ସ ଫି ଦେବାକୁ ପଡୁନାହିଁ |ତେବେ ବ୍ରହ୍ମପୁରବାସୀ ଙ୍କ ପାଇଁ ସରକାରଙ୍କ ଏହି ଜିଜିୟା କର ଲଦିବାର କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି |ଭୁବନେଶ୍ୱର ,କଟକରେ ‘ନା ‘,ବ୍ରହ୍ମପୁରରେ ‘ହଁ ‘ ନୀତି ସରକାରୀ ଦଳ ନେତାଙ୍କର ଜନବିରୋଧୀ ନୀତିର ମୁଖା ଖୋଲି ଦେଇଛି ବୋଲି କହିଛନ୍ତି |ରାଜ୍ୟ ସରକାର ତୁରନ୍ତ ଘର ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀପଣ୍ଡା ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି |

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here