ଭଞ୍ଜନଗର ଓଏଫ୍‌ଡିସି କାଠ ଡିପୋରେ ଭୟାବହ ଅଗ୍ନିକାଣ୍ଡ

0
184

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ଗଂଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) କାର୍ଯ୍ୟାଳୟ ପରିସରରେ ଥିବା କାଠ ଡିପୋରେ ଅଗ୍ନିକାଣ୍ଡ ଘଟିଛି। ଭଞ୍ଜନଗର ଜଳ ଭଣ୍ଡାର ନିକଟରେ ଏହି ଡିପୋ ଟି ରହିଥିବା ବେଳେ ଜଳ ଭଣ୍ଡାର ପଟୁ ପ୍ରଥମେ ନିଆଁ ଆସି ଧିରେ ଧିରେ ଚାରିଆଡେ ବ୍ୟାପିବାକୁ ଲାଗିଥିଲା। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆଖି ପିଛୁଳାକେ ବିଜୁଳି ବେଗରେ ଏହା ବ୍ୟାପିବାକୁ ଲାଗିଥିଲା। ପ୍ରାୟ ୧୦ ରୁ ୧୨ଟି କାଠ ଗଦାରେ ନିଆଁ ଲାଗି ପାଉଁଶ ହୋଇଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଜଳଭଣ୍ଡାରକୁ ଶୌଚ ପାଇଁ ଆସୁଥିବା ଲୋକଙ୍କ ବିଡ଼ି କିମ୍ବା ସିଗାରେଟ୍ ନିଆଁରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀଙ୍କ ସମେତ ଡିପୋର କର୍ମଚାରୀ ମାନେ ମଧ୍ୟ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଧିରେ ଧିରେ ଏହି ନିଆଁ ନିୟନ୍ତ୍ରଣ ବାହାରକୁ ପଳାଇ ଯାଇଥିଲା। ଚାରିପଟୁ ଏକା ସାଙ୍ଗରେ ନିଆଁ ଲାଗିଯିବାରୁ ନିଆଁକୁ ନିୟନ୍ତ୍ରଣ କରିବା ଅଗ୍ନିଶମ ବାହିନୀ ପକ୍ଷରେ ବହୁ କଷ୍ଟସାଧ୍ୟ ହୋଇପଡିଥିଲା। ଦୀର୍ଘ ୮ ଘଣ୍ଟାର ଅବିରତ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ଅଗ୍ନିକାଣ୍ଡରେ ଡିପୋ ମଧ୍ୟରେ ଥିବା ବଡ଼ ବଡ଼ ଗଛ ମଧ୍ୟ ନିଆଁର ବଳୟରେ ପୋଡି ଅଙ୍ଗାର ପାଲଟି ଯାଇଛି। ଅନେକ କାଠ ଗଦାରେ ନିଆଁ ଲାଗିଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ଜାଳେଣୀ କାଠ ବୋଲି ଜଣାପଡ଼ିଛି।ବହୁତ କାଠ ଗଣ୍ଡିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇଛି। ଡିପୋ ମଧ୍ୟରେ ଲକ୍ଷାଧିକ ଟଙ୍କାର କାଠ ଜମା ହୋଇ ରହିଥିବା ବେଳେ ପାଖାପାଖି ୫୦ ହଜାର ଟଙ୍କାର କାଠ ଜଳିପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଗୁରୁବାର ସକାଳ ୯ ଟାରୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ମାନେ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ତଥାପି ମଧ୍ୟ କିଛି ସ୍ଥାନରେ ନିଆଁ କୁହୁଳୁଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here