କାୟା ବିସ୍ତାର କରୁଛି କରୋନାର ଦ୍ଵିତୀୟ ଲହର ;ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର ଟୁ ଡୋର ସ୍ୱାସ୍ଥ୍ୟ ଯାଞ୍ଚ…

0
11

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍) : ଦେଶର ବର୍ତ୍ତମାନ କରୋନାର ଦ୍ଵିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି ।ସଂକ୍ରମଣ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସଂକ୍ରମଣ ବୃଦ୍ଧିକୁ ରୋକ ଲଗେଇବା ସକାଶେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ବର୍ତ୍ତମାନ ଓଡ଼ିଶାର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଲାଣି । ଏହି ପରିପ୍ରେକ୍ଷୀରେ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ପ୍ରବାସୀ ମାନେ ରାଜ୍ୟକୁ ଫେରୁଛନ୍ତି। ତେଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାରେ କଟକଣାକୁ କଡାକଡି କରିଛନ୍ତି । ପୂର୍ବ ଥର ଜିଲ୍ଲାରେ ସବୁଠାରୁ ଅଧିକ ପ୍ରବାସୀ ଫେରିଥିଲେ । ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟା ଚରମରେ ଥିଲା । ବର୍ତ୍ତମାନ ମଧ୍ୟ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅଣାୟତ ହେବାକୁ ଯାଉଛି । ବୁଧବାର ରିପୋର୍ଟ ଆନୁଯାଇ ଗଞ୍ଜାମ ଜିଲ୍ଲାରେ ୧୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ତୁଳନାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ କମ୍ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପୂର୍ବସ୍ଥିତିକୁ ପରଖିଏଥର ଆଗୁଆ ସଚେତନ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପୁଣି ଥରେ ସହରାଞ୍ଚଳରେ ଡୋର୍ ଟୁ ଡୋର୍ ଟେଷ୍ଟିଙ୍ଗ ଏବଂ ସ୍କ୍ରିଙ୍ଗ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଜିଲ୍ଲାରେ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି । ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା କରିବା ପାଇଁ ସହରରେ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ମାନଙ୍କୁ ନେଇ ୧୧୨ଟି ଟିମ୍ ଗଠନ କରାଯାଇଛି । ଏମାନେ ବ୍ରହ୍ମପୁର ସହରବାସୀଙ୍କ ଘରକୁ ଘର ବୁଲି ଥାର୍ମଲ୍ ସ୍କ୍ରିନ୍ୟ, ଅକ୍ସିଜେନ୍ ଯାଞ୍ଚ ଆଦି କରିବା ସହ କରୋନା ଲକ୍ଷଣ ନେଇ ଲୋକଙ୍କୁ ସଚେତନ କରିଛନ୍ତି । ତେବେ ଆଜି ୩୮ ନଂ ୱାଡ଼ରେ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ଘର ଘର ବୁଲି ସ୍କ୍ରିନିଂ କାଯ୍ୟକ୍ରମ କରୁଥିବା ବେଳେ ୧୨ ନଂ ୱାଡ଼ରେ ଏହି ଥାର୍ମଲ୍ ସ୍କ୍ରିନିଂ, ଅକ୍ସିଜେନ୍ ଯାଞ୍ଚ ତଦାରଖ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି କିପରି ହେଲଥ ସ୍କାନିଂ କରୁଛନ୍ତି ତାହା ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି କମିଶନର । ଜନସାଧାରଣଙ୍କ ସହ ଏହି ବିଷୟ ନେଇ ଆଲୋଚନା ମଧ୍ୟ କରିଛନ୍ତି । ଏତଦ୍ ବ୍ୟତୀତ ସହରକୁ କେତେ ଜଣ ପ୍ରବାସୀ ଫେରୁଛନ୍ତି ତାର ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ତାର ସମ୍ପୂର୍ଣ୍ଣ ବିବରଣୀ କୁ ଏକତ୍ର କରୁଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ବୋଲି କହିଛନ୍ତି କମିଶନର । ଏହାଛଡା ଖୁବଶୀଘ୍ର ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ସହରର ସମସ୍ତ ୱାର୍ଡ ବୁଲି ପରକ୍ଷା କରାଯିବା ସହ ସଚେତନ କରିବା ସକାଶେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି । ଏହାସହ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ ରହିଥିବାବେଳେ କେତେଜଣ ବାହ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବା ଲାଗି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ରହିଛି । ଏହାଛଡା ଡୋର ଟୁ ଡୋର ସ୍କ୍ରୀନିଂ ବେଳେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ସହରବାସୀଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here